କୋଇଲି ବୈକୁଣ୍ଠ  ମାହାତ୍ମ୍ୟ


କୋଇଲି ବୈକୁଣ୍ଠ ନାମଟି ଆସିଛି କୈବଲ୍ୟ ବୈକୁଣ୍ଠରୁ । ଶାସ୍ତ୍ରମତରେ କୈବଲ୍ୟର ଅର୍ଥ ହେଉଛି ଇନ୍ଦ୍ରିୟ ତ୍ୟାଗପୂର୍ବକ ଆତ୍ମାର କେବଳତ୍ୱ । ଏଥିରେ ଶରୀରକୁ ଆଧାର କରି ରହିଥିବା ଇନ୍ଦ୍ରିୟମାନେ ଆଉ ରହନ୍ତି ନାହିଁ । କେବଳ ରହେ ଅଜର, ଅମର ଆତ୍ମା । ନବକଳେବରରେ ମଧ୍ୟ ଏହା ହିଁ ହୁଏ । ଏହା ଯେଉଁ ସ୍ଥାନରେ ଘଟେ, ତାହାର ନାମ କୈବଲ୍ୟ ବୈକୁଣ୍ଠ । ତାହାର ଲୋକପ୍ରିୟ ପରିଭାଷା ହେଉଛି କୋଇଲି ବୈକୁଣ୍ଠ । ଏଥିରେ କୋଇଲି ହେଉଛି କୈବଲ୍ୟ ଶବ୍ଦର ଅପଭ୍ରଂଶ । ଆଉ ବୈକୁଣ୍ଠର ଅର୍ଥ ବିଷ୍ଣୁଙ୍କର ଅବସ୍ଥାନ କ୍ଷେତ୍ର । ଶ୍ରୀକ୍ଷେତ୍ର ବା ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମର୍ତ୍ତ୍ୟଲୋକରେ ଭଗବାନ ବିଷ୍ଣୁଙ୍କ ଅବସ୍ଥାନ କ୍ଷେତ୍ର । ଏଣୁ ଏହାର ନାମ ମର୍ତ୍ତ୍ୟ ବୈକୁଣ୍ଠ । ଶ୍ରୀକ୍ଷେତ୍ର ବା ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରକୁ ନେଇ ଗଢ଼ି ଉଠିଛି ନବ ବୈକୁଣ୍ଠର ଭାବଧାରା । ଏହା ଗଢ଼ି ଉଠିଛି ଶ୍ରୀମନ୍ଦିର ଓ ସ୍ୱର୍ଗଦ୍ୱାରକୁ ନେଇ । ଶ୍ରୀମନ୍ଦିରର ରତ୍ନସିଂହାସନ ବା ଅନ୍ତର୍ବେଦୀ - ଯେଉଁଠି ଶ୍ରୀଜଗନ୍ନାଥ ବିରାଜମାନ କରନ୍ତି, ତାହା ନୀଳାଦ୍ରି ବୈକୁଣ୍ଠ ଭାବରେ ଖ୍ୟାତ । ଏହାର ଅନ୍ୟନାମ ନୀଳକନ୍ଦର । ଶ୍ରୀମନ୍ଦିରର ମୁଖ୍ୟଦ୍ୱାର ହେଉଛି ସିଂହଦ୍ୱାର । କାରଣ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଜଗନ୍ନାଥ ପୂର୍ବାଭିମୁଖ ହୋଇ ଅବସ୍ଥାନ କରିଛନ୍ତି । ଏହି ପୂର୍ବଦ୍ୱାରରେ ବିରାଜମାନ କରୁଛନ୍ତି ଶ୍ରୀପତିତପାବନ । ସିଂହଦ୍ୱାର ଗୁମୁଟର ଉତ୍ତରପାଶ୍ୱର୍ରେ ପୂର୍ବାଭିମୁଖ ହୋଇ ସେ ଅବସ୍ଥାନ କରୁଛନ୍ତି । ଏଣୁ ଏହା ପୂର୍ବ ବୈକୁଣ୍ଠ ଭାବରେ କଥିତ ।
    ପୂର୍ବ ବୈକୁଣ୍ଠ ପରି ଶ୍ରୀମନ୍ଦିରରେ ଏକ ପଶ୍ଚିମ ବୈକୁଣ୍ଠ ମଧ୍ୟ ଅଛି । କାରଣ ଶ୍ରୀମନ୍ଦିରର ଠିକ୍ ପଶ୍ଚିମରେ ନହେଲେ ମଧ୍ୟ ପ୍ରାୟ ପଶ୍ଚିମ ଦିଗରେ ଅବସ୍ଥାନ କରୁଛନ୍ତି ଚତୁର୍ଭୁଜା ମା ମହାଲକ୍ଷ୍ମୀ । ଏଣୁ ଆଧ୍ୟାତ୍ମିକ ଗୁରୁତ୍ୱ ଦୃଷ୍ଟିରୁ ଏହି ମହାଲକ୍ଷ୍ମୀ ପୀଠ ପଶ୍ଚିମ ବୈକୁଣ୍ଠ ଭାବରେ ପ୍ରସିଦ୍ଧ । ପୂର୍ବ ଓ ପଶ୍ଚିମ ପରି ଶ୍ରୀମନ୍ଦିରର ପ୍ରାୟ ଦକ୍ଷିଣ ମଧ୍ୟ ଏକ ବୈକୁଣ୍ଠ ଅଛି । ଏହା ଅନନ୍ତ ବୈକୁଣ୍ଠ ଭାବରେ ଆଖ୍ୟାୟିତା କାରଣ ଏହି ଦିଗରେ ରହିଛି ଶ୍ରୀଅନନ୍ତଙ୍କର ଆସ୍ଥାନ । ଏହା ବ୍ୟତୀତ ଶ୍ରୀମନ୍ଦିରରେ ଅଛି ବ୍ରହ୍ମ ବୈକୁଣ୍ଠ, ଲୀଳା ବୈକୁଣ୍ଠ, ପାତାଳ ବୈକୁଣ୍ଠ ଏବଂ ଶ୍ରୀମନ୍ଦିର ପରିସର ବାହାରେ ଅଛି ଅମର ବୈକୁଣ୍ଠ । ଶ୍ରୀମନ୍ଦିରର ଦକ୍ଷିଣରେ, ଶ୍ରୀନୃସିଂହ ମନ୍ଦିର ସମ୍ମୁଖରେ ଅଛି ମୁକ୍ତି ମଣ୍ଡପ । ଏହାର ଅନ୍ୟ ଦୁଇଟି ନାମ ହେଉଛି ଯଜ୍ଞ ମଣ୍ଡପ ଓ ବ୍ରହ୍ମାସନ । ଏ ଦୃଷ୍ଟିରୁ ମୁକ୍ତି ମଣ୍ଡପ ବ୍ରହ୍ମବୈକୁଣ୍ଠ ଭାବରେ ମଧ୍ୟ ବିଦିତ । ସେହିପରି ଶ୍ରୀମନ୍ଦିରର ପ୍ରାୟ ଉତ୍ତର ଦିଗରେ, ଯେଉଁଠାରେ ଅଛି ବାଳୀ ବାମନ ମନ୍ଦିର - ତାହା ପାତାଳ ବୈକୁଣ୍ଠ ଭାବରେ ପ୍ରସିଦ୍ଧ । କଥିତ ଅଛି ଯେ ଏହି ଠାରେ ପ୍ରଭୁ ବାମନ ରୂପରେ ବାଳୀକୁ ପାତାଳଗାମୀ କରିଥିଲେ । ମହାଦାନୀ ବାଳୀ ବାମନରୂପୀ ବିଷ୍ଣୁଙ୍କୁ ତ୍ରିପାଦ ଭୂମି ଦାନ କରିବାକୁ ସତ୍ୟ କରିଥିଲା । ବିଷ୍ଣୁ ପ୍ରଥମପାଦରେ ସମଗ୍ର ପୃଥିବୀକୁ ଓ ଦ୍ୱିତୀୟ ପାଦରେ ସମଗ୍ର ଆକାଶକୁ ଅଧିକାର କରି ନେଇଥିଲେ । ଫଳରେ ତୃତୀୟ ପାଦ ପାଇଁ ବାଳୀ ନିଜର ମଥା ପାତି ଦେଇଥିଲେ । ସେହି ତୃତୀୟ ପାଦରେ ବିଷ୍ଣୁ ବାଳୀକୁ ପାତାଳକୁ ଚାପି ଦେଇଥିଲେ । ଭଗବାନ ବିଷ୍ଣୁଙ୍କର ତି୍ରବିକ୍ରମ ମୂର୍ତ୍ତି ଏହି ଉପାଖ୍ୟାନର ସୂଚକ । ଶ୍ରୀମନ୍ଦିରରେ ବୈକୁଣ୍ଠ ଭାବଧାରାର ଆଉ ଗୋଟିଏ ପରିପ୍ରକାଶ ହେଉଛି ଲୀଳା ବୈକୁଣ୍ଠ । ଶ୍ରୀମନ୍ଦିରର ଜଗମୋହନ ଓ ମାଜଣା ମଣ୍ଡପ ହେଉଛି ଅର୍ଚ୍ଚା ବିଗ୍ରହ ବା ଚଳନ୍ତି ପ୍ରତିମା ମାନଙ୍କର ଉପାସନା ସ୍ଥଳୀ । ଏଣୁ ଏହା ଲୀଳା ବୈକୁଣ୍ଠ ଭାବରେ ଲୋକପ୍ରିୟ । ଏହା ବ୍ୟତୀତ ଶ୍ରୀମନ୍ଦିର ପରିସର ବାହାରେ ଅଛି ଆଉ ଏକ ବୈକୁଣ୍ଠ । ଏହା ହେଉଛି ମହୋଦଧି ତଟର ସ୍ୱର୍ଗଦ୍ୱାର । ଏହା ସର୍ବମୋକ୍ଷ ସ୍ଥଳ ବା ମୁକ୍ତିଦ୍ୱାର ରୂପେ କଥିତ । ମୃତୁ୍ୟପରେ ମର ଶରୀରକୁ ଏଠାରେ ଦାହ କଲେ ଆତ୍ମା ମୁକ୍ତି ବା ମୋକ୍ଷ ପାଇଥାଏ ବୋଲି ବିଶ୍ୱାସ ରହିଛି । ନବବୈକୁଣ୍ଠ ଭାବଧାରାରେ ଏହା ହେଉଛି ଅମର ବୈକୁଣ୍ଠ । ଏହି ଅଷ୍ଟବୈକୁଣ୍ଠ ପରେ ଅନ୍ୟ ଏକ ବୈକୁଣ୍ଠ ହେଉଛି କୈବଲ୍ୟ ବୈକୁଣ୍ଠ ବା ଲୋକପ୍ରିୟ ପରିଭାଷାର କୋଇଲି ବୈକୁଣ୍ଠ । ଏହି କୈବଲ୍ୟ ବୈକୁଣ୍ଠ ହେଉଛି ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ ଭାଗରେ ଥିବା ଲୀଳାସ୍ଥଳୀ ଯେଉଁଠାରେ ଶ୍ରୀବିଗ୍ରହମାନଙ୍କର ନିର୍ମାଣ ଓ ପ୍ରତିଷ୍ଠା ଏବଂ ଘଟ ପରିବର୍ତ୍ତନ ପରେ ପୁରାତନ ବିଗ୍ରହମାନଙ୍କର ଭୂଗର୍ଭାଶାୟନ କରାଯାଇଥାଏ । ଏହାକୁ ଜନ୍ମକୁଞ୍ଜ ବୋଲି ମଧ୍ୟ ଅନେକ ଅଭିହିତ କରିଥାନ୍ତି । ଏହା ମଧ୍ୟ ଦେବ ଶ୍ମଶାନ ରୂପେ କଥିତ ହୁଏ । ପୁଣି ବୈଷ୍ଣବୀୟ ଚିନ୍ତନରେ ଏହା ନିତ୍ୟ ବୃନ୍ଦାବନ । ସେମାନଙ୍କ ଭାବଧାରାରେ ଏଠାରେ ରାଧା କୋଇଲି ରୂପରେ ଆବିର୍ଭୂତ ହୋଇଥିଲେ । ପୁଣି ଶିଆଲି ଲଟା ପରିବେଷ୍ଟିତ ଏହି ସ୍ଥାନକୁ ଶ୍ରୀକୃଷ୍ଣଙ୍କର ଦେହାବସ୍ଥାନ ସ୍ଥଳ ରୂପେ ବିବେଚନା କରାଯାଉଥିବାରୁ ଏହାର ଅନ୍ୟ ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ରହିଛି । ତେବେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ନବ ବୈକୁଣ୍ଠ ଭାବଧାରାରେ କୈବଲ୍ୟ ବୈକୁଣ୍ଠ ନାମଟି ହିଁ ସର୍ବାଧିକ ଗୁରୁତ୍ୱ ବହନ କରେ ।
ମୋ : ୯୪୩୭୦୫୧୯୫୭